ନୟାଗଡ଼:- ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ନୟାଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଉପରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭାରତର ନିର୍ବାଚନ ଆୟୋଗ ଜୁଲାଇ ୧ ତାରିଖକୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ଅଭିଯାନ ଓଡ଼ିଶାରେ ଆରମ୍ଭ କରିଛନ୍ତି । ଏହି ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ସଠିକ୍, ସ୍ବଚ୍ଛ ଓ ଅଦ୍ୟତନ କରିବା । ଏଥିପାଇଁ ୩୦ ମଇ ୨୦୨୬ ରୁ ୨୮ ଜୁନ ୨୦୨୬ ପର୍ୟ୍ୟନ୍ତ ବିଏଲଓ ମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ । ଭୋଟରମାନେ ଏହି ଦୁଇଟି ଫର୍ମ ସଠିକ ଭାବେ ପୂରଣ କରିବେ ଓ ଗୋଟିଏ କପି ନିଜ ପାଖରେ ରଖିବେ ଏବଂ ଅନ୍ୟ କପିଟି ବିଏଲଓ ସଂଗ୍ରହ କରିବେ। ତେଣୁ ସମସ୍ତ ଭୋଟରମାନେ ବିଏଲଓଙ୍କୁ ସହଯୋଗ କରନ୍ତୁ ଓ ସଠିକ ତଥ୍ୟ ପ୍ରଦାନ କରନ୍ତୁ ବୋଲି ଜିଲ୍ଲାପାଳ କହିଛନ୍ତି । ସମସ୍ତ ଫର୍ମ ସଂଗ୍ରହ କରି ସାରିବା ପରେ ଖସଡା ନିର୍ବାଚନୀ ତାଲିକା ପ୍ରସ୍ତୁତ କରାଯାଇ ପ୍ରତି ବୁଥ, ଇଆରଓଙ୍କ କାର୍ୟ୍ୟାଳୟ ଓ ଜିଲ୍ଲା ନିର୍ବାଚନ କାର୍ୟ୍ୟାଳୟରେ ଜୁଲାଇ ୫ ତାରିଖରେ ପ୍ରକାଶନ କରାଯିବ। ସମସ୍ତ ଭୋଟରଙ୍କୁ ଅନୁରୋଧ ସେମାନେ ନିଜ ନିଜ ନାମ ନିର୍ବାଚନୀ ତାଲିକାରେ ଯାଞ୍ଚ କରିବେ ଓ ତ୍ରୁଟି ଥିଲେ ଜୁଲାଇ ୫ରୁ ଅଗଷ୍ଟ ୪ ତାରିଖ ମଧ୍ୟରେ ଦାବୀ ଓ ଆପତ୍ତି ଦାଖଲ କରିବେ । ଜୁଲାଇ ୫ ତାରିଖରୁ ସେପ୍ଟେମ୍ବର ୨ ତାରିଖ ମଧ୍ୟରେ ନୋଟିସ ଦେଇ ଦାବୀ ଓ ଆପତ୍ତିର ଶୁଣାଣି କରାଯିବ । ସେପ୍ଟମ୍ବର ୬ ତାରିଖରେ ଅନ୍ତିମ ନିର୍ବାଚନୀ ତାଲିକା ପ୍ରକାଶନ କରାଯିବ । ନୟାଗଡ଼ ଜିଲ୍ଲାର ସମସ୍ତ ଭୋଟରଙ୍କୁ ଅନୁରୋଧ ସମସ୍ତେ ବିଏଲଓ, ବିଏଲଏ ଓ ସ୍ୱେଚ୍ଛାସେବୀଙ୍କୁ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଏହି ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଡେପୁଟି କଲେକ୍ଟର ଶିବାନୀ ରାଉତ, ଡେପୁଟି କଲେକ୍ଟର ତପସ୍ୱିନୀ ହାଁସଦା, ନୋଡାଲ ଅଫିସର ପ୍ରିଣ୍ଟ ଇଲେକ୍ଟ୍ରୋନିକ୍ସ ମେଡ଼ିଆ ଡେପୁଟି କଲେକ୍ଟର ସନ୍ତୋଷ କୁମାର ଜେନା, ନୋଡାଲ ଅଫିସର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ୟ୍ୟ ପ୍ରମୂଖ ଉପସ୍ଥିତ ରହିଥିଲେ ।