ନୟାଗଡ଼ :- ନୟାଗଡ଼ ସଦରଥାନା ଅନ୍ତର୍ଗତ ବାଲୁଗାଁ ନିକଟସ୍ଥ ଜୟମଙ୍ଗଳପ୍ରସାଦଠାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ନୂଆଗାଁ ବ୍ଲକ ଶ୍ରୀବନ୍ତଦେଇପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁବାଷ ଚନ୍ଦ୍ର ଦୁଆରୀଙ୍କ ମୃତ୍ୟୁ ଘଟିଛି । ସୁବାଷ ନୟାଗଡ଼ରୁ ଖଣ୍ଡପଡ଼ା ଅଭିମୂଖେ ନିଜ ସ୍କୁଟିରେ ଯାଉଥିବା ବେଳେ ଖଣ୍ଡପଡ଼ାରୁ ନୟାଗଡ଼ ଅଭିମୂଖେ ବୁଲେଟ୍ ଧରି ଆସୁଥିବା ଜଣେ ନିଶାଶକ୍ତ ବ୍ୟକ୍ତି ବିପଦ ଜନକ ଭାବେ ଗାଡ଼ି ଦୁର୍ଘଟଣା ଘଟାଇଥିଲେ । ଏହି ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ଶିକ୍ଷକଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି । ଏହି ଘଟଣାକୁ ନେଇ ସଦରଥାନାରେ ଏକ ମାମଲା ରୁଜୁ ହୋଇଛି । ଶିକ୍ଷକ ସୁବାଷଙ୍କ ଘର ଦୁରୁଦୁରା ଗ୍ରାମରେ ବୋଲି ସୂଚନା ମିଳିଛି । ଦୁରୁଦୁରା ଗ୍ରାମରେ ଶିକ୍ଷକଙ୍କ ମୃତଦେହ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ବହୁ ଶିକ୍ଷକ ତାଙ୍କୁ ଶେଷ ଦର୍ଶନ କରି ପରିବାରକୁ ସ୍ୱାନ୍ତନା ପ୍ରଦାନ କରିଛନ୍ତି ।