Product Banner

ଓଡ଼ଗାଁରେ ଯୁବକଙ୍କୁ ହତ୍ୟା ଘଟଣା ମାଙ୍କଡ଼ା ଖଣି ଚାନ୍ଦା ଆଦାୟରୁ ହତ୍ୟାକାଣ୍ଡ ୪ ଅଭିଯୁକ୍ତ ଗିରଫ, ୩ ଫେରାର

ନୟାଗଡ଼ :- ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଖଣି ମାଫିଆଙ୍କ ଦ୍ୱାରା ଘଟିଥିବା ହତ୍ୟାକାଣ୍ଡ ଘଟଣା ସମ୍ପର୍କରେ ଆଜି କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ ଖୁଲାସା କରିଛନ୍ତି । ନୟାଗଡ଼ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଚାନ୍ଦା ଆଦାୟରୁ ହତ୍ୟାକାଣ୍ଡ ଘଟିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ହତ୍ୟାକାଣ୍ଡ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ହତ୍ୟାରେ ବ୍ୟବହୃତ ଖଣ୍ଡା, ଏକ କାର ଏବଂ ଏକ ୪୦୭ ଟ୍ରକ ଜବତ ହୋଇଥିବା ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଓଡ଼ଗାଁର ପୂର୍ଣ୍ଣଚନ୍ଦ୍ର ନାୟକ ଓରଫ ଦିପୁ, ରୋହିବାଙ୍କର ମହନ୍ତ ନାୟକ, ଓଡ଼ଗାଁ ମାହାପୁରସାହିର ମାନସ ବେହେରା, କୋମଣ୍ଡ ମକରପଦାର ଶ୍ରୀଧର ସାହୁ ।
ପୁଲିସ ସୂଚନାନୁସାରେ, ଚାନ୍ଦା ଆଦାୟକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି । ଘଟଣା ରାତିରେ ସନ୍ତୋଷ ଓ ଅଜିତ ସହ ଅଭିଯୁକ୍ତଙ୍କ ବଚସା ହେବାରୁ ମୁଖ୍ୟ ରାସ୍ତାକୁ ଚାଲି ଆସି ଯୁକ୍ତିତର୍କ କରିଥିଲେ । ଏହି ଯୁକ୍ତିତର୍କ ସମୟରେ ମହନ୍ତ ନାୟକ ଅଜିତଙ୍କ ବେକକୁ ଧରି ତଳେ ଚାପି ଦେଇଥିଲା । ରବୀନ୍ଦ୍ର ଭଟ୍ଟ, ଜଗନ୍ନାଥ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ପ୍ରରୋଚନାରେ ଅଭିଯୁକ୍ତ ମାନସ ମହିନ୍ଦ୍ରା ଗାଡ଼ିରୁ ଏକ ଖଣ୍ଡା ବାହାର କରି ଚୋଟ ପରେ ଚୋଟ ପକାଇ ଚାଲିଥିଲେ । ଅଜିତଙ୍କ ଦୁଇ ହାତ ହାଣିବା ସହ ଦେହର ଅନ୍ୟାନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା । ଅଜିତଙ୍କ ଡାହାଣ ହାତ ଛିଣ୍ଡି ଯାଇଥିବା ବେଳେ ବାମ ହାତ ଆଂଶିକ ଲାଗି ରହିଥିଲା । ଗଣ୍ଡଗୋଳକୁ ଦେଖି ଅଜିତଙ୍କ ସାଥି ସନ୍ତୋଷ ଘଟଣାସ୍ଥଳରୁ ଖସି ଯାଇଥିଲେ । ଅଜିତ୍‌ଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ ଅଭିଯୁକ୍ତମାନେ ସେଠାରୁ ଖସି ଯାଇଥିଲେ । ଅଭିଯୁକ୍ତମାନେ ଫେରାର ହୋଇ ଢେଙ୍କାନାଳ ଜିଲ୍ଲା ଭାପୁର ନିକଟସ୍ଥ ଜଙ୍ଗଲରେ ଖଣ୍ଡାକୁ ଫିଙ୍ଗି ଦେଇଥିଲେ । ନୟାଗଡ଼ ପୁଲିସ ପକ୍ଷରୁ ଭିନ୍ନ ଭିନ୍ନ ଟିମ୍ ଗଠନ କରାଯାଇ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇଟି ଗାଡ଼ି ଜବତ କରାଯାଇଛି । ଢେଙ୍କାନାଳ ଜଙ୍ଗଲରୁ ଖଣ୍ଡା ଜବତ କରାଯାଇଛି । ଆଜି ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଶରଣକୁଳ ଏସ୍‌ଡିପିଓ ଦୀପ୍ତିକାନ୍ତ ପ୍ରଧାନ ପ୍ରମୂଖ ଉପସ୍ଥିତ ରହିଥିଲେ । ଘଟଣାରେ ସଂଶ୍ଲିଷ୍ଟ ଅନ୍ୟ ୩ ଜଣଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆଇଜି ସୂଚନା ଦେଇଛନ୍ତି ।

News Highlights
Image 1