ନୟାଗଡ଼ :- ଛେନାପୋଡ଼ ପାଇଁ ନୟାଗଡ଼। ନୟାଗଡ଼ ପାଇଁ ଛେନାପୋଡ଼ ସୁନାମ ଅର୍ଜ୍ଜନ କରିଛି। ମିଠା ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଏହି ଛେନାପୋଡ ବର୍ତ୍ତମାନ ନୟାଗଡ଼ରୁ ପ୍ରସ୍ତୁତ ହୋଇ ପ୍ରତ୍ୟେକ ଦିନ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ମାଲକାନାଗିରି, ଭବାନୀପାଟଣା, ବଲାଙ୍ଗୀର, ବୌଦ୍ଧ, କେନ୍ଦୁଝର କନ୍ଧମାଳ ଛତିଶଗଡ଼ କଲିକତା ଦୁର୍ଗାପୁର, ରାୟପୁର ପ୍ରଭୃତି ସ୍ଥାନକୁ ଦୂରଗାମୀ ବସ୍ ଯୋଗେ ପଠାଯାଇଥାଏ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଛେନାପୋଡ଼ ପ୍ରସ୍ତୁତି କରାଯିବା ସହ ଏକା ରୋଜଗାରର ଏକ ମାଧ୍ୟମ ପାଲଟିଛି । ଏହା ବାଦ ନୟାଗଡ଼ ଜିଲ୍ଲାର ଅନେକ ବ୍ୟକ୍ତି ମୁମ୍ବାଇ, ବାଙ୍ଗାଲୋର ପ୍ରଭୃତି ସହରକୁ ଯାଇ ଛେନାପୋଡ଼ ବ୍ୟବସାୟ କରୁଥିବା ମଧ୍ୟ ଜଣାଯାଇଛି । ନୟାଗଡ଼ ଛେନାପୋଡ଼ ଏବେ କୁଟରୀ ଶିଳ୍ପରେ ପରିଣତ ହୋଇଛି । ନୟାଗଡ଼ ବ୍ଲକ ମାଛିପଡ଼ା ଗ୍ରାମରେ ଅନେକ ପରିବାର ଛେନାପୋଡ଼ ପ୍ରସ୍ତୁତି ଏବଂ ବ୍ୟବସାୟ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି। କିଲୋ ପିଛା ୧୩୦ରୁ ଆରମ୍ଭ କରି ୩୫୦ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଛେନାପୋଡ଼ ବିକ୍ରି କରାଯାଉଥିବା ଦେଖାଯାଏ। ନୟାଗଡ଼ରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ମିଠାକୁ ଭୈାଗୋଳିକ ସଙ୍କେତ ତଥା ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଦୀର୍ଘବର୍ଷ ତଳୁ ଦାବି ଉଠିଛି। ଏନେଇ ସଠିକ ଭାବେ ପ୍ରୟାସ କରାଯାଇନଥିଲା । ଜିଲ୍ଲା ପ୍ରଶାସନ ଜିଆଇ ଟ୍ୟାଗ ପାଇଁ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇ ୨୦୨୩ ମାର୍ଚ୍ଚ ୨୦ ତାରିଖରେ ଆବଶ୍ୟକ କାଗଜପତ୍ର ସହ ଆବେଦନ କରାଯାଇଛି। ଜିଆଇ ଟ୍ୟାଗ ମିଳିବା ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ଉତ୍ପତିସ୍ଥଳ ସଠିକ ରୂପେ ନିରୁପଣ କରାଯାଇପାରେ। ଛେନାପୋଡ ପ୍ରଥମେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ସୁଦର୍ଶନ ସାହୁ ପ୍ରସ୍ତୁତ କରିଥିଲେ। ସେ ନୟାଗଡ଼ କଚେରି ନିକଟରେ ଏକ ଛୋଟିଆ ମିଠା ଦୋକାନ କରିଥିଲେ । ଦିନେ ତାଙ୍କ କିଛି ଛେନା ବିକ୍ରି ନହୋଇ ବଳକା ରହିଯାଇଥିଲା । ଛେନା ନଷ୍ଟ ହୋଇଯିବ ଭାବି ସେଥିରେ କିଛି ସୁଜି ଓ ଚିନି ମିଶାଇ ଏକ ଭିନ୍ନ ଧରଣର ମିଠା ବନାଇବା ଲକ୍ଷ୍ୟରେ ତିଆରି କରିଥିଲେ ଛେନାପୋଡ଼ । ସେହି ଛେନାପୋଡକୁ କିଛି ଲୋକ ଖାଇବା ପରେ ସେମାନଙ୍କୁ ଭାରି ସ୍ୱାଦିଷ୍ଟ ଲାଗିଥିଲା। ତାପରେ ସୁଦର୍ଶନ ଭିନ୍ନ ଧରଣର ମିଠାକୁ ସବୁଦିନ ତିଆରି କରିବା ଆରମ୍ଭ କରି ଦେଇଥିଲେ। ଏହି ଛେନାପୋଡ଼ ନୟାଗଡ଼ ଅଞ୍ଚଳରେ ପ୍ରସିଦ୍ଧ ଲାଭ କରିବା ସଙ୍ଗେ ସଙ୍ଗେ ସାରା ରାଜ୍ୟରେ ମିଠା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଛେନାପୋଡକୁ ସ୍ମରଣୀୟ କରିବା ପାଇଁ ଛେନାପୋଡ ନିର୍ମାତା ସୁଦର୍ଶନ ସାହୁଙ୍କ ଜୟନ୍ତୀ ଅବସରରେ ୨୦୨୨ ମସିହା ଏପ୍ରିଲ ୧୧ ତାରିଖରେ ପ୍ରଥମ କରି “ବିଶ୍ୱ ଛେନାପୋଡ଼ ଦିବସ” ଭାବରେ ପାଳନ କରାଯାଇଥିଲା । ପ୍ରତିବର୍ଷ ଏହା ପାଳନ କରିବା ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି । ୨୦୨୩ରେ ପ୍ରଥମ କରି ଏହାକୁ ସରକାରୀ ସ୍ତରରେ ପାଳନ କରାଯାଇଥିଲା । ତତ୍କାଳୀନ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ନିର୍ଦ୍ଦେଶରେ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରରେ ବିଶ୍ୱ ଛେନାପୋଡ଼ ଦିବସ ପାଳନ କରାଯାଇଥିଲା। ଆସନ୍ତାକାଲି ଛେନାପୋଡ଼ର ଜନକ ସୁଦର୍ଶନ ସାହୁଙ୍କ ଜନ୍ମଦିନ ଅବସରରେ ନୟାଗଡ଼ଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳନ କରାଯିବ ବୋଲି ସୂଚନା ମିଳିଛି ।