ନୟାଗଡ଼ :- ଉତ୍କଳ ଜନନୀର ବରପୁତ୍ରମାନଙ୍କ ସ୍ମୃତି ଚାରଣ ଓ ଓଡ଼ିଆ ଅସ୍ମିତାର ପର୍ବ "ଓଡ଼ିଶା ଦିବସ" ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ପରିସରରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ସମାରୋହରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉତ୍ସବର ପ୍ରାରମ୍ଭରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ରମେଶ ବେହେରା ଏବଂ ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ ସ୍ଵାଇଁ ଯୋଗଦେଇ ଓଡ଼ିଶାର ସଂସ୍କୃତି ଓ ବିକାଶ ଧାରା ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ଏସ୍. ସୁଶ୍ରୀ, ନୟାଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ସ୍ଥାନୀୟ କଳାକାରମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉତ୍ସବରେ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସରକାରୀ ପଦାଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ। ଆଜିର ସମାରୋହକୁ କବି ଶରତ ଚନ୍ଦ୍ର ଆଚାର୍ଯ୍ୟ ସଂଯୋଜନା କରିଥିଲେ।