ନୟାଗଡ଼(୨୪/୦୨) :- ଦୀର୍ଘଦିନରୁ ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଭେଷଜ ମେଡିକାଲ କଲେଜ ଦାବି ହୋଇ ଆସୁଥିଲା । ଓଡିଶା ବଜେଟ ୨୦୨୬-୨୭ରେ ନୟାଗଡ଼ରେ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ହେବା ନେଇ ଘୋଷଣା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଆଜି ନୟାଗଡ଼ ଫାଉଣ୍ଡେସନ ପକ୍ଷରୁ ନୟାଗଡ଼ରେ ୧୨ ଘଣ୍ଟିଆ ବଜାର ବନ୍ଦ ଡାକରା ଦିଆ ଯାଇଥିଲା । ସକାଳ ୬ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପଯ୍ୟନ୍ତ ନୟାଗଡ଼ ବ୍ୟବସାୟୀ ସଂଘ ସମର୍ଥନରେ ପୂରା ନୟାଗଡ଼ ବନ୍ଦ ରହିଥିଲା । ନୟାଗଡ଼ ସମସ୍ତ ବ୍ୟବସାୟୀମାନେ ସ୍ୱତଃ ସବୁ ଦୋକାନ ବନ୍ଦ କରି ନୟାଗଡ଼ ସଦର ମହକୁମାରେ ଭେଷଜ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ସମର୍ଥନ ଜଣାଇଥିଲେ। ଅପରାହ୍ନ ପ୍ରାୟ ୧ ଘଟିକା ସମୟରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ପ୍ରତିବାଦ ସଭା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଜିଲ୍ଲାପାଳ ମଧୁମିତା ରଥଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ସରକାର ଯଦି ନୟାଗଡ଼ ପ୍ରମୁଖ ଦାବି ଉପରେ କର୍ଣ୍ଣପାତ ନ କରନ୍ତି ତେବେ ଆନ୍ଦୋଳନ ତୀବ୍ରତର ହେବ ବୋଲି ନିଜର ଅଭିଭାଷଣରେ ଜୟ ନୟାଗଡ଼ ଫାଉଣ୍ଡେସନର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦ କହିଥିଲେ । ଆଜିର ବନ୍ଦ ଡାକରାକୁ ସଫଳ କରିଥିବାରୁ ସମସ୍ତ ବ୍ୟବସାୟୀ, ସାମ୍ବାଦିକ ଏବଂ ଜୟ ନୟାଗଡ଼ ଫାଉଣ୍ଡେସନର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ପ୍ରତିବାଦ ସଭାରେ ପ୍ରତିଷ୍ଠାତାଙ୍କ ସମେତ ଉପଦେଷ୍ଟା ପ୍ରମୋଦ ପଟ୍ଟନାୟକ, ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର, ବରିଷ୍ଠ ଆଇନଜୀବି ମନୋଜ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର, ସମାଜସେବୀ ଶ୍ରୀଧର ପ୍ରଧାନ, ଶାନ୍ତନୁ ବିଶୋଇ, ଗୋକୁଳ କୁମାର ଷଡଙ୍ଗୀ, ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ସଂଗଠନର ସଂଯୋଜକ ଅମ୍ଳାନ ଅଂଶୁମାନ ସାହୁ, ଜୀବନ ଜ୍ୟୋତିପ୍ରକାଶ ରାଉତ, ଅରବିନ୍ଦ ପାଢ଼ୀ ପ୍ରମୁଖ ନିଜର ବକ୍ତବ୍ୟ ରଖିବା ସହ ରାକେଶ କୁମାର ସିଠ, ଅବଦୁଲ ଆଜିମ ଖାନ, ଓଁ ପ୍ରକାଶ ବିଶ୍ୱାଳ, ଅନୁରାଗ ସ୍ୱାଇଁ, ଦୀପଙ୍କର ପ୍ରଧାନ, ଲୋକେଶ କୁମାର ବେହେରା ପ୍ରମୁଖଙ୍କ ସହ ଶତାଧିକ ଫାଉଣ୍ଡେସନର କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।