କଥା ନବ ପ୍ରତିଭା ପୁରସ୍କାରପ୍ରାପ୍ତ ଗପ - ଆଙ୍ଗୁଠି ନଚାଣ,ଗାଳ୍ପିକ- ଜିତୁ ପ୍ରଧାନ
ଆଙ୍ଗୁଠି ନଚାଣ
ଅର୍ଜୁନଦା’ତା’ଘର ଭିତରେ ଏକା ରହି ଏବେ ଖାଲି କାନ୍ଦେ। କାହିଁକି କାନ୍ଦୁଛି ସେ ? ପଚାରିଲେ ଉତ୍ତର ଦେଇ ପାରେନା । ଟ୍ର’ଙ୍କ ଖୋଲେ। କଣ୍ଢେଇକୁ ବାହାରକୁ ଆଣି ଗାମୁଛାରେ ପୋଛି ପୁଣି ଥୋଇଦିଏ।ଭାଙ୍ଗି ଯାଇଥିବା କଣ୍ଢେଇର ହାତ ଗୋଡ଼ ସେଇ ଭଙ୍ଗା ଟିଣ ଡବାରେ ପକେଇ ଦିଏ। ଅର୍ଜୁନଦା’ ଆଉ ଆଗପରି ଗାଁ ଭାଇଙ୍କ ସାଙ୍ଗରେ ଆଗଭଳି ମିଶୁନି। ପାହାଡ଼କୁ ଗଲେ ଦୁଇ ତିନି ଦିନ ପରେ ଫେରୁଛି। ପଚାରିଲେ କହିବ ଭଲ ମୂଳିଆ ଗଣ୍ଠି ଥିବା ବାଉଁଶ ଖୋଜିବାକୁ ତାକୁ ଦୁଇ ଦିନ, ତିନି ଦିନ ଲାଗିଯାଏ। ରଜାପିଲା ପରି ଦିଶୁଥିବା ଅର୍ଜୁନଦା’ କଳାକାଠ ପଡି ଗଲାଣି। ଖିଆପିଆ ଠିକ୍ ନାହିଁ। କ’ଣ କେତେବେଳେ ଖାଏ ସେ ନିଜେ ଜାଣୁନି। ମନଟା ମାରି ଗାଁ ଚାରିପଟେ ଚକ୍କର କାଟୁଛି। ସାଇକେଲ୍ ଧରି ଅନେକ ଦୂରକୁ ଯାଇ ରାତି ବାରଟା କି ଗୋଟାଏରେ ଫେରୁଛି।
ଅର୍ଜୁନଦା’ର ଦେହ ଭଲ ନଥିବା କଥା ଶୁଣି ଚମ୍ପାନାନୀ ତା’ଘରକୁ ଯାଏ। ରୋଷେଇ କରିଦେଇ ଆସେ। ଦି ’ଓଳି ପାଇଁ ରୋଷେଇ କଲେ ଦି’ ଦିନ ଯାଏ ଅର୍ଜୁନଦା’ ସେମିତି ସେୟାକୁ ଖାଏ। ଘର ଭିତରେ କଣ୍ଢେଇ ସହ ଏକା ଏକା କଥା ହୁଏ। କଣ୍ଢେଇର ନା ପ୍ରାଣ ଅଛି ନା ଜୀବନ ? ତମେ ନଜାଣିଲେ ନାହିଁ, ଅର୍ଜୁନଦା’ ଜାଣେ। ସେ କଣ୍ଢେଇ ନଚାଏ। ବାଛି ବାଛି ଗଣ୍ଠିଆ ଆଉ ମୁନିଆ ବାଉଁଶରେ ତିଆରି କରେ ବାଉଁଶ କଣ୍ଢେଇ, ବତା କଣ୍ଢେଇ। ଗାଁ ଗାଁ ବୁଲି କଣ୍ଢେଇ ନାଚ ଦେଖାଏ। ତା’ ଜୀବନ କହିଲେ ଥିଲା ଗୋଟିଏ ସାଇକେଲ୍ ଓ ଟିଣ ଟ୍ରଙ୍କ୍ରେ ନାନା ରକମର ରଙ୍ଗମରା ରଜା କଣ୍ଢେଇ, ରାଣୀ କଣ୍ଢେଇ, ମନ୍ତ୍ରୀ, କଟୁଆଳ, ଚୌକିଦାର ଆଦି କଣ୍ଢେଇ। ସେ କଣ୍ଢେଇ ନଚାଏ, ଭଲ ନଚାଏ। ପଂଚାୟତ ପାଖ ହାଟ ପଡ଼ିଆରେ ଦୋଳ ପୂନେଇଁରେ ଯେତେଥର କଣ୍ଢେଇ ନାଚ ପ୍ରତିଯୋଗିତା ହେଇଛି, ଫିଥର ସେ ବିଜେତା ହୋଇଛି। ଅର୍ଜୁନଦା’କୁ ପରାସ୍ତ କଲାଭଳି ଆମ ଅଞ୍ଚଳରେ କେହି ନଚାଳି ନଥିଲେ। ଏମିତି ରକମରେ କଣ୍ଢେଇକୁ ଖେଳେଇବ ଯେ ତା’ର ଟେର୍ ପାଇବେନି ନୂଆ ପୁରୁଣା ନଚାଳିମାନେ।
ଅର୍ଜୁନଦା’କୁ ମୁଁ ଯେତେଥର ପଚାରିଛି ଏ ଖେଳ କୋଉଠୁଁ ସେ ଶିଖିଲା,କେମିତି ଏତେ ଢଙ୍ଗରଙ୍ଗରେ ନଚାଏ କଣ୍ଢେଇ ? ସେ ଉତ୍ତରରେ ତା’ ପିଲାଦିନ କଥା କହେ। ଅର୍ଜୁନଦା’ ଆମ ଗାଁରେ ନ ଥିଲା। କିନ୍ତୁ ମୁଁ ଜାଣିବା ଦିନୁ ଆମ ଗାଁର ପୋଖରୀ ମୁଣ୍ଡରେ ତା’ର ଘର। ତା’ ପିଲାଦିନ କେତେ ମଜାଦାର ଥିଲା ସେ କଥା କୁହେ। କଣ୍ଢେଇ ନାଚ ପାଇଁ ଜଣକୁ ସେ ଓସ୍ତାଦ ରୂପେ ମାନିଥିଲା। ଅର୍ଜୁନଦା’ କହେ, “ମୁଁ ପିଲାବେଳେ ମାଟିରେ କଣ୍ଢେଇ ଗଢ଼ି ଖେଳିବାକୁ ଭଲ ପାଇଥିଲି । ସେହିବର୍ଷ ପ୍ରଚୁର ଧାନ ଅମଳ ହୋଇଥିଲା। ଗାଡ଼ି ଗାଡ଼ି ଧାନ । ଖଳାରେ ମନ୍ଦିର ପରି ଚାରିଟା ଧାନ ଗଦା ଥାକେଇ ଥିଲେ ବାପା। ଭାଗ ଚାଷରେ ସବୁଠୁଁ ଭଲ ଚାଷ ହୋଇଥିଲା ବୋଲି ଆମେ ଖୁସି ଥିଲୁ, କିନ୍ତୁ ରାତିରେ ହଠାତ୍ ସେ ଧାନଗଦାରେ କେମିତି ନିଆଁ ଲାଗିଗଲା। ନିଆଁ ଲିଭାଇବା ପାଇଁ ପାଣି ବାଲ୍ଟିଟା ଧରି ବାପା ଚଢିଗଲେ ଧାନ ଗଦା ଉପରକୁ। ଅଧା ବେଙ୍ଗଳା ପଡ଼ି ଥିବାରୁ ପାଳ ମଧ୍ୟ ଗଦା ହୋଇଥିଲା ଅନେକ। ନିଆଁ ମାଡିଗଲା ଖଳା ବାଡ଼ି ସାରା। ବାପାଙ୍କ ଚାରିପଟେ ନିଆଁ । ତାଙ୍କ ଉପରେ ଭୁଶୁଡି ପଡିଲା ପାଳଗଦା। ନିଆଁରୁ ବାପାଙ୍କୁ ବଞ୍ଚେଇବାକୁ ଯାଇ ବୋଉ ପଶିଲା ନିଆଁ ଭିତରେ। ସେ ନିଆଁ ଲିଭିଲା ନାହିଁ। ବାପା ଆଉ ବୋଉଙ୍କ ଦେହ ଦରପୋଡ଼ା । ଗାଁ ବଇଦ ଯେତେ ଓଷଦ ଦେଲା, ଜମାରୁ ଭଲ ହେଲାନାହିଁ। ଦେହର ଅଧିକାଂଶ ପୋଡ଼ି ଯାଇଥିଲା। ସକାଳ ହେବା ବେଳକୁ ବାପା ବୋଉ ଦୁହେଁ ଚାଲିଗଲେ। ଖଳାବାଡ଼ି ପାଉଁଶରେ ପୂର୍ଣ୍ଣ ହୋଇଗଲା। ତା’ ପରେ କ’ଣ ହେଲା ମୋର ଠିକ୍ରେ ମନେ ପଡ଼ୁନି। ବୋଧେ ମୁଁ ଛୋଟଟିଏ ହୋଇଥିଲି। ଆମ ଗାଁକୁ କଣ୍ଢେଇ ନଚେଇ ଆସୁଥିବା ବୁଢ଼ା ମୋତେ ପୁଅ କରି ଆଣିଲା। ସେ ନିଃସନ୍ତାନ ଥିଲା ବୋଲି ତା’ ଘରେ ମୋତେ ଦେବତା ପରି ପାଳିଲା। ଶିଖେଇ ଦେଲା କଣ୍ଢେଇ ନାଚ,କେମିତି ତିଆରି କରିବାକୁ ହୁଏ ବାଉଁଶରେ ସବୁ ପ୍ରକାର କଣ୍ଢେଇ।କଣ୍ଟା ବାଉଁଶ, ଶାଳିଆ ବାଉଁଶ ଆଦିରେ କେତେ ପ୍ରକାରର ବାଉଁଶ କଣ୍ଢେଇ ତିଆରି ହେବ ସବୁ ବିଦ୍ୟା ଦେଲା। ବୁଢା ସାଙ୍ଗରେ ଗାଁ ଗାଁ ବୁଲି କଣ୍ଢେଇ ନାଚ କଲି। ନାଚ କରିବାକୁ ଯାଉଥିବା ଦିନମାନଙ୍କରେ ଅସୁବିଧା ହେଲାନାହିଁ। ବୁଢ଼ା ଗୋଟେ ବାଇଶି କି ତେଇଶି ବର୍ଷର ଟୋକିକୁ ବାହା ହେଇଥିଲା କେମିତି କେଜାଣି ? ମୁଁ ତାକୁ ମା’ ବୋଲି ଡାକେ, ସେ କିନ୍ତୁ ପୁଅ ବୋଲି ମୋତେ ଗ୍ରହଣ କରି ପାରେନା। ବୁଢ଼ାକୁ ମୁଁ ଓସ୍ତାଦ ବୋଲି ସମ୍ବୋଧନ କରେ। ଏମିତି ଚଳି ଯାଉଥିଲା ମୋ ପିଲାଦିନ।
ଦିନେ କ’ଣ ହେଲା ନା ସେ ଟୋକି, ମୁଁ ଯାହାକୁ ମା’ ବୋଲି କହେ ଗାଁର ବଇଦା ସାମୁଲ ପୁଅ ସାଙ୍ଗରେ କୁଆଡ଼େ ଛୁ ମନ୍ତର ଛୁ ହୋଇଗଲା। ମୋ ଓସ୍ତାଦ ତାକୁ ଢେର ଖୋଜିଲା, ହେଲେ ପାଇଲା ନାହିଁ। ଅନେକ ଝୁରି ହେଲେ, ସେ ଆଉ କୋଉ ଫେରିଲା। ବୁଢା ଓସ୍ତାଦ ନଚେଇ ପାରିଲାନି କଣ୍ଢେଇ। ଖାଲି ଗଉଁ ମାରି ଘର କୋଣରେ ବସିଲା। ମୋତେ ସବୁ କଣ୍ଢେଇ ଆଉ ତା’ ସାଇକେଲ ଦେଇ ସେ ଯେଉଁ ଗାଁକୁ କଣ୍ଢେଇ ନଚେଇବାକୁ ଯାଏ ସେଇ ଗାଁଗୁଡାକର ଠିକଣା ଦେଲା। ଟୋକିକୁ ଝୁରି ଝୁରି ବୁଢା ରୋଗିଣା ଦିଶିଲା,କାନ୍ଦିଲା, କମ୍ ଖାଇଲା, ମୁହଁରେ ଆଉ ହସ ଫୁଟିଲା ନାହିଁ। ରୋଗଶଯ୍ୟାରେ ପଡିଲା। ଖାଇବା ଛାଡ଼ିବା ଛାଡ଼ିବା ଅବସ୍ଥା। ମୁଁ ପଚାରିଲି ଓସ୍ତାଦ ତୁ ଏମିତି ଖାଇବା ଛାଡିଲେ ବଞ୍ଚିବୁ କେମିତି ? ତୋ ବିନା ମୋର କିଏ ଅଛି କହ ? କାହିଁକି ତୁ ସେ ଟୋକିକୁ ଝୁରୁଛି ?
ବୁଢାର ଆଖି ଛଳ ଛଳ ହୋଇଗଲା। ଧାର ଧାର ଲୁହ ନିଗିଡ଼ି ଆସିଲା,ଠାକେରା ଗାଲ ଦେଇ ବେକ ଯାଏଁ। ବୁଢ଼ା କହିଲା , “ଏ ଟୋକୀଟାକୁ ତା’ ସାବତ ମା’ ପଚାରେ ନାହିଁ। ମୁଁ ତାଙ୍କ ଗାଁକୁ କଣ୍ଢେଇ ନାଚ କରିଗଲେ ମୋ ପାଖକୁ ଆସି ଗିନାଏ ଚାଉଳ ଦେଇ କହେ, ମୋତେ ତମ ପାଖକୁ ନେଇ ଯାଅ।ମୁଁ ହସିଦିଏ।ମୋ ଭେଣ୍ଡା ବୟସ।ସେ ଘରକୁ ଫେରିଯାଏ।ମୁଁ ସାଇକେଲରେ ମୋ ଗଣ୍ଠିଲି ବାନ୍ଧି ଆଉ ଗୋଟିଏ ଗାଁକୁ ଯାଏ।ଦିନେ ସକାଳୁ ଗଲାବେଳକୁ ଆମ୍ବଗଛରେ ଦଉଡ଼ି ଦେବାପାଇଁ ଝିଅଟା ପ୍ରସ୍ତୁତ ହଉଥିଲା। ବେକରେ ଫାଶ ଗଳେଇ ଝୁଲିଲା ବେଳକୁ ମୁଁ ତାକୁ ବଂଚେଇଲି। ତା’ ପରେ ମୋ ସାଙ୍ଗରେ ମୋ ଘରକୁ ଆସିଲା। ମୋ ସ୍ତ୍ରୀ ହେଲାନି, କିନ୍ତୁ ଦେହ ଦେଲା । ସୁଖର ସଂସାର କଲା ବେଳକୁ ପର କରି ଯିବା ମୁଁ ସହି ପାରୁନି।”
ଓଃ... ବୁଢାର କି ଦୁଃଖ ! କେମିତି ସହି ହୁଅନ୍ତା ଯେ ? ମୁଁ କଣ୍ଢେଇ ନଚେଇଲି । ସେତେବେଳକୁ ମୁଁ ବାର ବର୍ଷର ହେଇ ସାରିଥାଏ। ପାଖ ଗାଁରେ କଣ୍ଢେଇ ନାଚ କରି ରାତିକୁ ଫେରି ଦେଖେ ବୁଢ଼ା ତା ଟୋକି ସ୍ତ୍ରୀର ଫଟୋକୁ (କଳା ଧଳା) ଧରି ସୋଇଛି। ମୁଁ ରୋଷେଇ କରେ ଆଣିଥିବା ଚାଉଳରେ। ଇମିତି କିଛି ଦିନ ଗଲା। ପରେ ବୁଢ଼ା ଚାଲିଗଲା। ଗାଁ ନୋକଙ୍କୁ କହି ତା ଶବ ଦାହ କଲି। ମୁଁ ପୁରସ୍ତମ ଯାଇ ଶୁଦ୍ଧି ହେଲି। ସେ ଗାଁରେ ଆଉ ରହିଲି ନାହିଁ । ଯାଯାବର ପଲଟିଗଲି । ଶେଷରେ ତମ ଗାଁରେ ନାଚ ଦେଖାଇଲା ବେଳେ ଗାଁ ଲୋକ ଦୟା ଦେଖାଇ ମୋତେ ଏ ପୋଖରୀ ପାଖରେ ରହିବାକୁ ଖଣ୍ଡେ ଜାଗା ଦେଲେ।
ବିନା ସ୍ୱାର୍ଥରେ ନୁହଁ। ପୋଖରୀରୁ ଚୋରମାନେ ମାଛ ରାତିରେ ନେଇଯାଆନ୍ତି। ମୋ ପାଇଁ ଚାଳ କୁଡ଼ିଆଟିଏ ଗଢେଇ ଦେଇ ପୋଖରୀ ଜଗେଇଦେଲେ। ସେ ବର୍ଷ କୁଇଁଣ୍ଟାଲ କୁଇଁଣ୍ଟାଲ ମାଛ ବାହାରିଲା।ତା ପୂର୍ବର କୁଆଡ଼େ ମୀନ ଟିଏ ବି ଜାଲରେ ପଡ଼ିନଥିଲା। ସେବେ ଠୁ ମୁଁ ପୋଖରୀ ଜଗେ । ଦିନ ସାରା କଣ୍ଢେଇ ନାଚ କରେ ଓ ତମ ଗାଁରେ ରହେ।
ଏତେ ଚମତ୍କରୀ ଜୀବନ ବଞ୍ଚୁଥିବା ଅର୍ଜ୍ଜୁନଦା କାହିଁକି ଚୁପ୍ ହୋଇଯାଇଛି ? ବାପା, ମା ଓ ଓସ୍ତଦଙ୍କୁ ହରେଇ ମଧ୍ୟ ସେ ତ ଖୁସିରେ ଥିଲା। ଏବେ ତା’ର କଣ ହୋଇଛି କିଏ ଜାଣି ପାରୁ ନାହାନ୍ତି। ଅର୍ଜ୍ଜୁନଦା ଆଉ କଣ୍ଢେଇ ନଚେଇ ଗଲାନି। ଓସ୍ତାଦ ବୁଢ଼ାର ଯୋଉ ଅବସ୍ଥା ହୋଇଥିଲା ଅର୍ଜ୍ଜୁନଦା ସେଇ ଅବସ୍ଥାରେ ପଡ଼ିଲା।
ବେଳେ ବେଳେ ଅର୍ଜ୍ଜୁନ ଦା ସାଙ୍ଗ ରେ ଡମ୍ବୁରୁ କଣ୍ଢେଇ ନାଚରେ ଯାଏ। ମଞ୍ଚା ତିଆରି କରେ ସାହାଯ୍ୟ କରେ । ସକାଳୁ ଫେରିଲା ପରେ ତିନି ଭାଗରୁ ଭାଗେ ଚାଉଳ ଆଣେ। ଡମ୍ବରୁକୁ ହିଁ ଜଣା ଥିବ ଅର୍ଜ୍ଜୁନଦା’ର ମରମ କଥା।
ଡମ୍ବରୁକୁ ଭେଟିବା କେଉଁ ସହଜ? ତଥାପି ତା’ର ଭେଟ ହେଲା ଶୁଳିଆନଈର ପଥର ଖୋଲ ପାଖରେ। ନଈ ଗଣ୍ଡରୁ ମାଛ ଧରୁଥାଏ। ଡମ୍ବରୁ ନାହାକ ଉପରକୁ ଆସିଲା। ବସିଲା ପାଖରେ। କହିଲା ଏଇ ଏବେତ ଆସିଲି । କରେଣ୍ଟ ଜାଲଟା ବାନ୍ଧି ଦେଇଛି। ଅଧଘଣ୍ଟାଏ ପରେ କାଢ଼ିବି । କ’ଣ କହୁଛ କୁହ?
କ’ଣ ପଚାରିବି ଡମ୍ବୁରୁ ନାକୁ । ହଁ ଅର୍ଜ୍ଜୁନଦା’ କଥା। ମୁଁ କହିଲି ଆରେ ଡ଼ମ୍ବୁରୁନା, ଅର୍ଜ୍ଜୁନଦା’ର କ’ଣ ହେଇଛି? ସବୁବେଳେ ମୁହଁଟା ମାଡ଼ି ଗଉଁ ହୋଇ ବସିଛି ? ଫେଁ କିନା ହସି ଦେଲା ଡମ୍ବୁରୁ। କି ବିକଟାଳ ହସ । ପାଟିରେ ମେଞ୍ଚେ ହବ ଧୂଳି ଗୁଣ୍ଡି। କହିଲା ଡମ୍ବରୁ- ଅର୍ଜ୍ଜୁନ ଦା ଆଗରୁ ଏମିତି ନଥିଲା। ତା’ ସାଙ୍ଗରେ ମୁଁ ଗୁଡ଼ାଏ ଗାଁ ବୁଲିଛି। ଖରା ଦିନ ହେଲେ ତା’ର କାତ ଉଠିଆ। ରାତି କେ ଦୁଇ ତିନି ଜାଗା ନାଚ ହୁଏ। ବେଶି ପରିଶ୍ରମ ହୁଏ ନାହିଁ। ଗୋଟିଏ ଗାଁରେ ମଞ୍ଚ ସେଟିଂ କଲେ ଅନ୍ୟ ଦୁଇ ଗାଁରେ ଆଉ ପରିଶ୍ରମ ହୁଏ ନାହିଁ। ମଞ୍ଚ ସିଧା ଟେକ ଥୁଅ ନାଚ କର। ବେଶ ଭଲ ପଇସା ବି ରୋଜଗାର ହେଇ ଆସୁଥିଲା।
ଅର୍ଜ୍ଜୁନ ଦା କଣ୍ଢେଇ ନାଚ ଏତେ ଚମତ୍କାର ଭାବରେ କରୁଥାଏ ଯେ, ସେ ଯେଉଁ ଗାଁକୁ ନାଚ ଦେଖେଇବାକୁ ଯାଏ ସେଠାରେ ତାକୁ କେହି ଅସମ୍ମାନ କରନ୍ତି ନାହିଁ। ଅର୍ଜ୍ଜୁନଦା’ ମଧ୍ୟ ଟାଣ କରି ଟଙ୍କା ପାଞ୍ଚଟା ଅଧିକ ମାଗିବ ନାହିଁ। ଯେତିକି ଯିଏ ଦେଲା ସେତିକିର ଶାନ୍ତି। ଧାନ ଚାଉଳରୁ ଏକ ରକମର ଜୀବନ ତ ବଞ୍ଚୁଥିଲା। ଦିନେ ସନ୍ଧ୍ୟା ରେ ଅର୍ଜ୍ଜୁନଦା’ ସାଇକଲ ଧରି ଅନେକ ଦୂର ପର୍ଯ୍ୟନ୍ତ ଏକ ଗାଁକୁ କଣ୍ଢେଇ ନାଚ ଦେଖେଇବାକୁ ଗଲା। ମଞ୍ଚା ତିଆରି କରି ଆରମ୍ଭ କଲା ଅଭିନୟ। ଆକାଶରେ ଶୀତଳ ଜହ୍ନ ଆଲୁଅ। ମାଟିରେ ଝିଁ ଝିଂ ଝିଙ୍କାରିଙ୍କ ସ୍ୱର। ସେଦିନ ସେ ଆରମ୍ଭ କଲା କଣ୍ଢେଇ ନାଚ ରାଧା କୃଷ୍ଣ ରାସ । କୃଷ୍ଣ କଣ୍ଢେଇକୁ ଭଲ ବେଶରେ ସଜେଇଥିଲା ସେ। ମଞ୍ଚରେ ସୂତା ସାହାଯ୍ୟରେ ବାନ୍ଧିଲା ସବୁ କଣ୍ଢେଇ। ଆରମ୍ଭ ହେଲା ରାସ, ନଚେଇଲା ହାତର ଆଙ୍ଗୁଠି ନାଚିଲେ କୃଷ୍ଣ,ରାଧା,ଯମୁନା ନଦୀ, ଗୋପୀ ସଖା। କଣ୍ଢେଇର ଜୀବନ ନାହିଁ ସିନା ଜୀବନ୍ତ ଅଭିନୟ କରିବାରେ ଅସୁବିଧା କ’ଣ? ଅର୍ଜୁନଦା ଚାହିଁଲା ରାଧା କଣ୍ଢେଇକୁ ଚାହିଁଲା ସାମ୍ନାକୁ ବୁଝିପାରିଲା ନାହିଁ କିଏ ରାଧା କଣ୍ଢେଇ। ତା ଆଖି ତାଜୁବ୍ ହୋଇଗଲା। ନିରୋଳା ଜହ୍ନ ଆଲୁଅରେ କିଛି ଲୋକଙ୍କ ଭିତରେ ବସିଛି ଆଉ ଜଣେ ରାଧା। ବାରମ୍ବାର ତା’ର ରସ ଭଙ୍ଗ ହେଲା। ମାତ୍ର ରାସକୁ ଜୋର୍ରେ ଚମତ୍କାର ଅଭିନୟ ଦେଖାଇଲା। ସେଦିନ ଠୁ ଅର୍ଜ୍ଜୁନଦା’ ସେ ଝିଅର ପ୍ରେମରେ ପଡ଼ିଲା। ସେଇଠୁ ଫେରିବା ଦିନ ସେ ଝିଅକୁ ବଢେଇଦେଲା କଣ୍ଢେଇ କୃଷ୍ଣ ଆଉ ନିଜେ ସାଇତି ରଖିଲା ରାଧା କଣ୍ଢେଇ। କଣ୍ଢେଇ ନାଚରୁ ଯେତିକି ଆୟ କଲା ସେଇଥିରୁ ଅଧା ଦେଲା ସେ ଝିଅକୁ । ଅନେକ ଦିନ କଣ୍ଢେଇ ନଚେଇ ଗଲା ନାହିଁ। ବସି ଖାଇଲେ ନଈ ବାଲି ସରେ। ଯେଉଁ ଦିନ ସରିଯାଏ ସେ ଦିନ ସେ ବାହାରି ଯାଏ । ପାଖ ଚିହ୍ନା ମୁହଁ ଥିବା ଗାଁକୁ । ରଜା ରାଣୀ କଣ୍ଢେଇ ନାଚ ଦେଖାଇଲା ବେଳେ ତାର ସେ ଝିଅଟା କଥା ମନେପଡ଼େ। ସେ ଝିଅର ନାଆଁ କ’ଣ ? ବୋଧେ ବୈଶାଖୀ। ଏ ନାଆଁଟା ସୂର୍ଯ୍ୟ ଦାସ ନାମକ ଜଣେ ବନ୍ଧୁ କହିଥିଲେ । ରାଣୀ କଣ୍ଢେଇକୁ ଝିଅ ଭାବେ, ସେ ନିଜେ ରାଜା ହୁଏ । ବଦଳି ଗଲା ତା’ ଜୀବନ ଚକ୍ର। ଦିନକୁ ଦିନ ସେ ଗରିବ ହେଇ ଯାଉଥିଲେ ମଧ୍ୟ ଧନୀ ପରି ବ୍ୟବହାର ଓ ଖୁସିରେ ରହୁଥିଲା। ପ୍ରେମ କରୁଥିବା ପୁଅମାନେ ଯଦି ପ୍ରେମ ରୋଗରେ ପଡ଼ନ୍ତି ସେମାନଙ୍କର ହାନି ହୁଏ ନା ଲାଭ ହୁଏ ? ଏ କଥା କିଏ ଜାଣେ? ତମେ ଜଦି ପ୍ରେମ କରିଥିବ ତା ସୁଆଦ ଜାଣିଥିବ । ସେ ଝିଅ ଦିନେ ଅର୍ଜୁନ ଦା ପାଖକୁ ଆସିଲା। ମାନେ ଚାଳ ଛପର କୁଡ଼ିଆକୁ। କେତେ ଚିକ୍କଣ କରି ସଜାଇଦେଲା ଘର। ରାନ୍ଧିଦେଲା ପୋଇ କଖାରୁ ଡଙ୍କ ବେସର। ଚୁଲିରେ ଶୁଖୁଆ ପୋଡ଼ିଲା । ଭଲରେ ଟିକେ ଆଣ୍ଟ ରଖି ଓଲ୍ଲେଇଲା ଭାତ । ଦୁହେଁ ମିଶି ଖାଇଲେ। ଅର୍ଜ୍ଜୁନଦା’ ସେ କୁଡ଼ିଆରେ କ’ଣ କଥା ହେଲା କିଛି ଜଣା ପଡ଼ିଲା ନାହିଁ। ଓଃ ସନ୍ଧ୍ୟାରେ ସେ ସାଇକଲ ନେଇ ଆଉ ନାଚ ଦେଖେଇ ଗଲା ନାହିଁ।
ଅନେକ ଲୋକ ତାକୁ ଖୋଜିଲେ ଲୋଡିଲେ। ମାତ୍ର ଅର୍ଜୁନ ଦା ନାଚକୁ ଛାଡ଼ିବା ଅବସ୍ଥାକୁ ଆସିଲା। ସେ ଝିଅ କଥା ଭାବିଲା । ତା ପାଖକୁ ଗଲା। ଚୁମା ଓ ଦେହ ମାଗିଲା। ସେ ଝିଅ ହସିଲା। ମାତ୍ର ଚୁମା କି ଦେହ ଦେଲାନି। ତଥାପି ଅର୍ଜୁନଦା’ ରାଗିଲା ନାହିଁ।
ଗତ ମାସରେ ଅର୍ଜ୍ଜୁନଦା’ର ଗତି ବଦଳିଲା। ମୋତେ ସାଙ୍ଗରେ ଧରି ଚାଲିଲା ସେ ଝିଅର ପାଖ ଗାଁକୁ। ଗାଁ ପାଖରେ ନଦୀ। ନଦୀ ପାଖରେ କେନାଲ। କେନାଲ ପାଖରେ ଆମ୍ବ ତୋଟା। ସେଇଠି ହିଁ ସେ ଝିଅ ସହିତ ଭେଟ। ଅର୍ଜୁନଦା’ ତା ପାଇଁ ହଳେ କାନଫୁଲ ଆଣିଛି। ମୁଁ ଆଶ୍ଚର୍ଯ୍ୟ ହେଲି। ଯିଏ ପାଦକୁ ହଳେ ଚପଲ କିଣି ପାରେନି ସେ ପୁଣି ସୁନାରେ ଗଢ଼େଇଚି ହଳେ କାନଫୁଲ । ସେ ଝିଅର କାନରୁ ନିମ୍ବ ଖିଲ କାଢ଼ି ପିନ୍ଧେଇଦେଲା ସୁନା ଫୁଲ ହଳକ। ମୋତେ ଆଙ୍ଗୁଠି ଦେଖେଇ କହିଲା ଇଏ ଡମ୍ୱୁରୁ ଏବେ ଅଧା ଅଧି ଶିଖି ସାରିଛି କଣ୍ଢେଇ ନାଚ।
ମୁଁ ତା ପରେ ଟିକେ ହସିଲି। କେତେ ସୁନ୍ଦର ସେ ଝିଅଟା କେଜାଣି। ଆମ ଅର୍ଜୁନଦା’କୁ ବିବାହ କଲେ ଭଲ ମାନିବ। କିନ୍ତୁ ସେ କାନଫୁଲ ଆଣିଲା କେଉଁଠୁ ? ଆମେ ସେଦିନ ଫେରି ଆସିଲୁ। ଘରେ ଦେଖିଲି ଅନେକ କଣ୍ଢେଇ ନାହିଁ। ହାତ ଗଣତି କେତେଟା ପଡ଼ିଛି ସେ ଟ୍ରଙ୍କ୍ରେ । ଅର୍ଜୁନଦା’ ପ୍ରେମରେ ପାଗଳ ହେଲାଣି। କ’ଣ କରୁଛି ସେ ନିଜେ ଜାଣୁନି। ଯେଉଁ କଣ୍ଢେଇ ତା ଭାତହାଣ୍ଡି, ଦାନାପାଣି ସେ ଝିଅ ପାଇଁ ତାକୁ ବିକ୍ରି କରିସାରିଛି।
ଝିଅର ଇଶାରାରେ କାନ୍ଦୁଚି ଅର୍ଜୁନ ଦା । ହସୁଛି। ଖୁସିରେ ଅଛି ବୋଲି କହୁଛି। ତା ପାଖରେ ଆଉ କ’ଣ ଅଛି ପ୍ରେମ କରି । ସେ ତ ପାଗଳ ପ୍ରାୟ ହୁଏ। ଯେତେଥର ଭାବିଛି ଅର୍ଜୁନଦା’କୁ କହିବି । ସେ ଝିଅକୁ ଭୁଲି ଯାଆ ମ ଦାଦା । ତା’ ଯୋଗୁ ତୁ ଏବେ କର୍ମ କୋଢ଼ିଆ ହେଇଗଲୁଣୁ। ଆଉ ନାଚ ଦେଖେଇବାକୁ ଯାଉନୁ। କେତେଲୋକ ଫେରିକି ଯାଉଛନ୍ତି ତୋ ଦାଣ୍ଡ ଦୁଆରୁ ।
କିଛି ବି ଶୁଣେନି ସେ । କହେ ସେ ଝିଅ ମତେ ବିବାହ କରିବ । ଆହୁରି ଭଲ ପାଇଛି। କେତେଦିନ ଆଉ ଏ କଣ୍ଢେଇ ଖେଳେଇବି। ସେ ଆସିଲେ ସତ ସତିକା କଣ୍ଢେଇ ଖେଳିବ ଏ ଦାଣ୍ଡ ଦୁଆରେ।
ସବୁ ଅଙ୍କ ବଦଳିଗଲା। ହାତ ଆଙ୍ଗୁଠିରେ ସୂତା ବାନ୍ଧି କଣ୍ଢେଇ ଖେଳାଉଥିବା ଅର୍ଜୁନଦା’ ଆଉ କାହା ଆଙ୍ଗୁଠିର ନିର୍ଦ୍ଦେଶରେ କଣ୍ଢେଇ ପରି ନାଚିବାକୁ ଆରମ୍ଭ କଲା। ସେ ଝିଅ ଆମ ଅର୍ଜୁନଦା’କୁ କି ଗଦ ସୁଙ୍ଘେଇଲା ଯେ ଅର୍ଜୁନଦା’ ପରି ନାଗ ସାଙ୍ଗେସାଙ୍ଗେ ପାଣିଧଣ୍ଡ ପାଲଟି ଯିବାକୁ ଅଧିକ ସମୟ ନେଲାନାହିଁ। ଅର୍ଜୁନଦା’ କଣ ଜାଣିଥିଲା ସେ ପ୍ରେମ ରେ ଅଛି ନା ଭ୍ରମ ରେ ଅଛି ?
ବନ୍ଦ ହେଇଗଲା ତା କଣ୍ଢେଇ ନାଚ। ଆଉ ନାଚି ପାରିଲେ ନାହିଁ ରଜା କଣ୍ଢେଇ, ରାଣୀ କଣ୍ଢେଇ, ଧେଇକି ଧିନ୍ଦା ତା ଥିନ ଧିନ୍ଦା। ତାକୁ ଦିନେ ତାନିଜ ବିଷୟରେ କହିଲି। ତୋ ଓସ୍ତାଦ୍ ଦିନେ ମାୟା ହରିଣୀକୁ ପ୍ରେମ କରି ମରିଗଲା । ତୁ ପୁଣି ସେଇ ଭୁଲ୍ କରୁଛୁ। ଦେଖିକି ଥିବୁ ଅର୍ଜୁନ ଦା। ମାୟା ନଗୁଣୀଙ୍କ ଚୁମା ଚୋଟ ହେବାକୁ ବେଶି ସମୟ ଲାଗିବନି। ଚୁମା ଚୋଟରେ ଏମିତି ବିଷ ଚରିଯିବ ଯେ ରକ୍ତରେ ଆଉ କୌଣସି ଗଦ ଔଷଧ କାମ କରିବ ନାହିଁ। ଅର୍ଜୁନଦା’ କୌଣସି କଥା ଶୁଣିଲା ନାହିଁ।
ବେଶି ଦିନ ସେ ପ୍ରେମ କରିନି ମାତ୍ର ଅଶି କି ନବେ ଦିନ ପ୍ରେମ। ଯାହା ସମ୍ଭାବନା କରାଯାଇଥିଲା ସେୟା ହିଁ ହେଲା। ବୈଶାଖୀ, ବୈଶାଖ ମାସର କାଳବୈଶାଖୀ ପରି ଅର୍ଜୁନଦା’ର ଅପରାହ୍ଣ ଜୀବନରେ ଆସି ଖୁବ୍ ପ୍ରେମ ରୂପି ବର୍ଷା ଓଜାଡ଼ିଲା । ରାତି ବେଳକୁ ହଜିଗଲା ବୈଶାଖୀ। ନିର୍ମଳ ଆକାଶ କୋଟି କୋଟି ତାରା ଗୋଟି ଗୋଟି ଦିଶିଲେ। ଆଉ କାହା ସାଙ୍ଗରେ ବାହାଘର ହେଲା ବୈଶାଖୀର । ଏକା ରହିଗଲା ଅର୍ଜୁନଦା’ । ବେଶୀଦିନ ନୁହେଁ ଏଇ ଗଲା ସପ୍ତାହରେ ଯେତେବେଳ ସନ୍ଧ୍ୟାରେ ସେ ସାଇକେଲ ମାରିଛି ବୈଶାଖୀ ପାଖକୁ ଦେଖିଲା ବୈଶାଖୀର ବାହାଘର ଚାଲିଛି। ସେ ଆବାକାବା ହେଇଗଲା। ଫେରି ଆସିଲା ଆମ ଗାଁକୁ। ସକାଳୁ ସୂର୍ଯ ଉଁଇଲା ବେଳକୁ ଅର୍ଜୁନଦା’ ବଦଳି ଯାଇଛି ମଉଳା ଫୁଲ ପରି। ତେଣୁ ଆଜି ତାର ଏ ଅବସ୍ଥା। ଅର୍ଜୁନଦା’ ବଦଳି ଯିବାର ପ୍ରାଣ ସାକ୍ଷୀ ଆମ ଡମ୍ବୁରୁ।
ଡମ୍ବୁରୁ ଏଥର ନଦୀକୁ ଗଲା । ଗୁଡ଼ାଏ ଦଣ୍ଡେଇ କେରାଣ୍ଡି ଲାଗିଥିଲେ ତା ଜାଲରେ। ମାଛକୁ ବାଛିଲା ପଥର ଚଟାଣରେ। ଶାଗୁଆନ ପତ୍ରରେ ଦୁଇ ଭାଗ କଲା ମାଛ । ଭାଗେ ତାର ଆଉ ଆର ଭାଗକ ମୋର।
ଅର୍ଜୁନ ଦା ଆମ ଗାଁର କିମ୍ବଦନ୍ତୀ। ସାରା ଜୀବନ ଆଙ୍ଗୁଠିରେ ସୂତା ବାନ୍ଧି କଣ୍ଢେଇ ନଚଉଥିବ ଲୋକ ଟା ତା ଜୀବନର ଶେଷ ବେଳକୁ କଣ୍ଢେଇ ପାଲଟି ଗଲା। ଆଉ କାହା ହାତରେ ବନ୍ଧା ହେଲା ତା ଜୀବନ ନାଟିକା। ଅର୍ଜୁନଦା’ ସମ୍ପର୍କରେ ସୂର୍ଯ୍ୟ ଦାସ ଥରେ କହିଥିଲା ଗର୍ବ କରିକି କହୁନି ମୁଁ। କଣ୍ଢେଇ ନାଚରେ ସାରା ଓଡ଼ିଶାରେ ପ୍ରଥମ ହୋଇଥିବା ଅର୍ଜୁନଦା’ କୁ ସେ ଝିଅ କଣ୍ଢେଇ ପରି ନଚେଇଛି । ସବୁ ଜୀବନ କ’ଣ କଣ୍ଢେଇ ନାଚ। ସାରା ଜୀବନ ଆଉ କାହା ନିର୍ଦ୍ଦେଶରେ କାନ୍ଦିବାକୁ ହୁଏ। ପ୍ରେମ କରିବା ଯେତିକି ଭୁଲ୍ ନୁହେଁ। ପ୍ରେମରେ ସବୁକିଛି ଠିକ୍ ବୋଲି ଭାବିନେବା କିମିତି ଠିକ୍ ?
ଅର୍ଜୁନ ଦା’ ଭଳି ଅନେକ ଲୋକ ଏବେ ହଜିଯିବେ ସମୟର ସୂକ୍ଷ୍ମ ବାଲୁକାରେ । ବାଣୀବିହାରରେ ପଢ଼ିବା ବେଳେ ଏଇ ଅର୍ଜୁନ ଦା’ କଥା ବାରମ୍ବାର ଆଘାତ ଦେଇଛି। ସମସ୍ତଙ୍କ ହୃଦୟରେ ଅର୍ଜୁନ ଦା’ ଥାଉ । ତା ଜୀବନ ସାରା କେତେ ଦୁଃଖ ଯେ ସେ ପାଇଲା ନାହିଁ ସୁଖର ପରିସମାପ୍ତି। ଗାଁରେ ଏବେ ଅର୍ଜୁନ ଦାକୁ ଯେତେଥର ଦେଖିଛି ସେତିକି ଥର ତରଳି ଯାଇଛି ହୃଦୟ। ମନେ ପଡୁଛି କଣ୍ଢେଇ ନାଚ ଆଙ୍ଗୁଠି ନଚାଣ।
ଆପଣ ପଚାରିବେନି ଅର୍ଜ୍ଜୁନ ଦା’ କିଏ ? ସେ ବଞ୍ଚିଥିବା ଗୋଟେ ମୃତ କଣ୍ଢେଇ ।ଆକାଶରେ ଉଡ଼ିଯାଉଥିବା ମଞ୍ଜା ବନ୍ଧା ଗୁଡ଼ି। ଯେତେ ଉଡିଲେ କଣ ହେବ ମାଟିରେ ପଡ଼ିବା ହିଁ ସ୍ଥିର । କୁଆଡେ଼ ହଜିଗଲା ତା ସୁନ୍ଦର ନାଚ ନଚୁଥିବା କଣ୍ଢେଇ ନାଚ । କାହିଁକି ସେ ପାଲଟି ଗଲା ଆଉ କାହା ହାତ ଆଙ୍ଗୁଠିରେ ନାଚୁଥିବା ବାଉଁଶ କଣ୍ଢେଇ ? ଏ ପ୍ରଶ୍ନର ଉତ୍ତର ନାହିଁ । ଏବେ ଅର୍ଜ୍ଜୁନ ଦା’ ଗୋଟିଏ କଥା କହେ “ ପ୍ରେମ କରି ମୁଁ ସର୍ବସ୍ବ ହରେଇଛି। ଚୁମା ବଦଳରେ ଚୋଟ ଖାଇଲି । ମୋ ପରି କାହା ଦେହରେ ପ୍ରେମର ବିଷ ଚରି ନଯାଉ। ପ୍ରେମ ପ୍ରେମ ହେଇ ଥାଉ । କେହି ପ୍ରେମିକା ଆଙ୍ଗୁଠିରେ ନାଚନ୍ତୁ ନାହିଁ ।
ଏ ଅର୍ଜ୍ଜୁନଦା’ ଆଉ ଆପଣ ନୁହଁନ୍ତି ତ ?ଥରେ ନିଜକୁ ପଚାରିଲେ ।
ଜିତୁ ପ୍ରଧାନ
କୁଷାପାଣ୍ଡେରୀ , ନୟାଗଡ଼
News Highlights

