ନୟାଗଡ଼ :- ନୟାଗଡ଼ ଜିଲ୍ଲା ଗଣିଆ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସଲିଲା ସେଠୀଙ୍କୁ ବଦଳି ଦାବି ଜୋର ଧରିଛି। ଗତ ଶନିବାର ଠାରୁ ବିଦ୍ୟାଳୟର ୧୨ ଜଣ କର୍ମଚାରୀ ଧାରଣା ଦେଇଛନ୍ତି। ଅଧ୍ୟକ୍ଷା ହଟାଅ, କଲେଜ ବଞ୍ଚାଅ ନାରା ସହିତ ପ୍ଳାକାର୍ଡ ପ୍ରଦର୍ଶନ କରି ବସି ରହିଛନ୍ତି। କର୍ମଚାରୀଙ୍କ ସହ ଛାତ୍ରଛାତ୍ରୀ ଓ ଅଭିଭାବକ ସାମିଲ ହୋଇଛନ୍ତି । ଏ ନେଇ ସେମାନେ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି କନ୍ଧମାଳ ସାଂସଦ, ଗଣଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ, ଜିଲ୍ଲାପାଳ, ପରିଚାଳନା କମିଟିର ସଭାପତି ତଥା ଉପଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି। ଲିଖିତ ଅଭିଯୋଗରେ ସେମାନେ ୧୭ଟି ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଅଧ୍ୟକ୍ଷା କଲେଜର କର୍ମଚାରୀଙ୍କୁ ମାନସିକ ଭାବେ ନିର୍ଯ୍ୟାତନା ଦେଉଛନ୍ତି। ଅଧ୍ୟକ୍ଷା ଉକ୍ତ କଲେଜର ସୁପରିଟେଣ୍ଡେଡ ହୋଇଥିଲେ ମଧ୍ୟ ନିଜ ସ୍ବାମୀ ଚଲାଉଥିବା ଆଡଭାନ୍ସ ଟ୍ୟୁଟୋରିଆଲରେ ପାଠ ପଢିବାକୁ ଛାତ୍ରଛାତ୍ରୀଙ୍କୁ ପ୍ରଲୋଭିତ କରିବା, ଇଣ୍ଟରନାଲ ମାର୍କ ଅଧିକ ଦେବା, କଲେଜର ସବୁ ସ୍ଥାନରେ ଅଡିଓ, ଭିଡିଓ ସିସିଟିଭି ଲଗାଇଥିବା ବେଳେ ତାଙ୍କ ଅଫିସ ଭିତରେ କେବଳ ଭିଡିଓ ସିସିଟିଭି ଲଗାଇ କର୍ମଚାରୀଙ୍କୁ ଗାଳି ଗୁଲଜ କରିବା, କିରାଣୀଙ୍କୁ ଧମକ ଦେଇ ଅଫିସ କାଗଜପତ୍ର ନିଜ ପାଖରେ ରଖିବା, ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ କୋର୍ଟ ପେପରରେ ଦସ୍ତଖତ କରି ଦରମା ପ୍ରଦାନ କରିବା, କର୍ମଚାରୀଙ୍କୁ ବାରମ୍ବାର ଥାନା ଦ୍ୱାରସ୍ଥ କରିବା, କଲେଜର ସହକାରୀ ଲାଇବ୍ରେରୀୟାନକୁ ହାତ କରି ମିଛ ଭାଉଚର ଯୋଡି କଲେଜ ଅର୍ଥ ଖର୍ଚ୍ଚ କରିବା, କର୍ମଚାରୀଙ୍କ ଠାରୁ ଗତବର୍ଷ ସେପ୍ଟେମ୍ବର ମାସରୁ ଅଦ୍ୟାବଧି ଦରମାରୁ ସରକାରଙ୍କ ବିନା ନିର୍ଦ୍ଦେଶରେ ଇପିଏଫ ପାଇଁ ଟଙ୍କା କାଟିବା, ନିଜେ ଇଂରାଜୀ ଅଧ୍ୟାପିକା ହୋଇ ମଧ୍ୟ କ୍ଳାସ ନକରିବା, ଅଭିଭାବକ ବୈଠକରେ ଅଳ୍ପ ଆସିଥିଲେ ମଧ୍ୟ ମିଛ ଭାଉଚର କରି ଅଧିକ ଯୋଗ ଦେଉଛନ୍ତି ବୋଲି ଦର୍ଶାଇବା, ଗତବର୍ଷ ବାର୍ଷିକ ପରୀକ୍ଷାରେ ରସିଦ ମାଧ୍ୟମରେ ୨ ଶହ ଟଙ୍କା ଆଦାୟ କରିବା, ଦରମା ଠିକରେ ନଦେବା, କଲେଜର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିରୁଦ୍ଧରେ ମିଥ୍ୟା ଜାତିଆଣ କେସ ଲଗାଇ ତାଙ୍କୁ ଡ଼େପୁଟେସନରେ ଅନ୍ୟତ୍ର ପଠାଇବା, କ୍ରିଡା ଶିକ୍ଷକ ଏବଂ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବାର୍ଷିକ ଇନକ୍ରିମେଣ୍ଟ ବନ୍ଦ କରିବା, ଦୁଇଟି ଇଛାଧିନ ବିଷୟକୁ ଚଳିତ ଶିକ୍ଷାବର୍ଷରୁ ବନ୍ଦ କରିବା ପାଇଁ ଆବେଦନ କରିବା କଲେଜର ସମସ୍ତ ସାମଗ୍ରୀ ଷ୍ଟାଫଙ୍କୁ ନଜଣାଇ ସ୍ବାମୀଙ୍କ ହାତରେ କିଣିବା, ବାର୍ଷିକ ପରୀକ୍ଷାରେ କଲେଜରେ କର୍ମଚାରୀ ଥିଲେ ମଧ୍ୟ ବାହାରୁ ଶିକ୍ଷକ ଆଣିବା ଭଳି ଅନେକ ଅଭିଯୋଗ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ସେମାନେ ଜଣାଇଛନ୍ତି। ସୋମବାରଠାରୁ ଗଣିଆ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଖିଳ କୁମାର ହୋତାଙ୍କ ସହିତ ସମସ୍ତ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ଯୁକ୍ତ ଦୁଇ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ କଲେଜ ସମ୍ମୁଖରେ ଧାରଣାରେ ବସିଥିଲେ। ଗଣିଆରେ ଦୀର୍ଘ ୩୫ ବର୍ଷ ଧରି ଗୋଟିଏ କ୍ୟାମ୍ପସ ଭିତରେ ଦୁଇଟି କଲେଜ ଥିଲେ ମଧ୍ୟ ଅଧ୍ୟକ୍ଷାଙ୍କ କ୍ୟାମ୍ପସ ଭିତରେ ଡିଗ୍ରୀ ମହାବିଦ୍ୟାଳୟର ଚାଲିଥିବା କାଯ୍ୟାଳୟରେ ତାଲା ପକାଇବା ସହିତ ଏଇଟା ମୋ ଲେଜ ବୋଲି ପ୍ରକାଶ କରିଥିଲେ। ମହାବିଦ୍ୟାଳୟ ତରଫରୁ ପ୍ରତିନିଧି ମଣ୍ଡଳୀ ଯାଇ ତାଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେ ଶୁଣିନଥିଲେ। ଯାହା ଫଳରେ ସେମାନେ ମଧ୍ୟ ଆନ୍ଦୋଳନ ଆରମ୍ଭ କରିଛନ୍ତି।